ଉତ୍କଳ ଦିବସ ରେ ଗୋଟେ ଲେଖା – 2026

ଉତ୍କଳ ଦିବସରେ ସମସ୍ତଙ୍କୁ ଅଭିନନ୍ଦନ।

ହଁ, ଉତ୍କଳ ଦିବସ ପ୍ରାୟ ଅଧା ହୋଇଆସିଲାଣି। ଅଫିସ୍ ଓ କାମର ଜଞ୍ଜାଳରେ ଟିକେ ଡେରି ହୋଇଗଲା। କାଲି ରାତିରେ ଲେଖି ଆଜି ସକାଳେ ପ୍ରକାଶ କରିଥାନ୍ତି—ସେଥିପାଇଁ କ୍ଷ୍ୟମା ପ୍ରାର୍ଥନା କରୁଛି।

ଓଡ଼ିଶା ଦିବସ, ଯାହାକୁ ଉତ୍କଳ ଦିବସ ବୋଲି ମଧ୍ୟ କୁହାଯାଏ, ପ୍ରତିବର୍ଷ ୧ ଏପ୍ରିଲରେ ପାଳନ କରାଯାଏ। ୧୯୩୬ ମସିହାରେ ବିହାର-ଓଡ଼ିଶା ପ୍ରାନ୍ତରୁ ବିଭକ୍ତ ହୋଇ ଏବଂ ମଦ୍ରାସ ପ୍ରେସିଡେନ୍ସିରୁ କୋରାପୁଟ ଓ ଗଞ୍ଜାମ ଜିଲ୍ଲା ଯୋଡ଼ାଯାଇ ଓଡ଼ିଶା ଗଠିତ ହୋଇଥିଲା—ସେହି ଐତିହ୍ୟକୁ ସ୍ମରଣ କରି ଏହି ଦିନ ପାଳନ କରାଯାଏ।

ଏତିକି ରହିଲା ଇତିହାସର କଥା, ଏବେ ଟିକେ ଆର୍ଥିକ କଥା କହିବା।

ଗତ ୨୦ ବର୍ଷରେ ଓଡ଼ିଶାର ପ୍ରତିବ୍ୟକ୍ତି ଜିଡିପିରେ ଉନ୍ନତି ହୋଇଛି। କିଛି ଶିଳ୍ପ ମଧ୍ୟ ଆସିଛି, ଯଦିଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଆମେ ଟିକେ ପଛରେ ରହିଥିବା ପରି ଲାଗେ। ୧୨% ଜିଡିପି ବୃଦ୍ଧି ଖରାପ ନୁହେଁ—ଅତି କମ ରେ ଆମେ ଏବେ ଅଧିକ ପଛୁଆ ରାଜ୍ୟମାନଙ୍କ ମଧ୍ୟରେ ଗଣାଯାଉନାହିଁ। ତଥାପି ଆଗକୁ ଅନେକ ବାଟ ଅଛି—୨୦୨୩-୨୪ ତଥ୍ୟ ଅନୁଯାୟୀ ଆମର ସ୍ଥାନ ୨୫ତମ, ଯାହା ବହୁତ ଭଲ ନୁହେଁ।

ପର୍ବପର୍ବାଣୀର ପ୍ରାସଙ୍ଗିକତା ମଧ୍ୟ ପୂର୍ବବତ୍ ଦେଖାଯାଉନାହିଁ। ଖୁଦୁରୁକୁଣୀ, ସାତଘଡ଼ି, କୁମାର ପୂର୍ଣ୍ଣିମା, ଶୀତଳ ଷଷ୍ଠୀ ଆଦି ପର୍ବମାନଙ୍କର ମହତ୍ତ୍ୱ ଆଜିର ପିଢ଼ି ଦ୍ୱାରା ଏତେ ଧ୍ୟାନ ଦିଆଯାଉନାହିଁ।

ପୂଜାପର୍ବ ମାନଙ୍କରେ ଏବେ ଖାଦ୍ୟ ଓ କୀଣାକଟାରେ ସୀମିତ ହୋଇଯାଇଛି ବୋଲି ଲାଗେ। ମୁଁ ଏହାକୁ ସାଧାରଣୀକରଣ କରିବାକୁ ଚାହୁଁନି, କିନ୍ତୁ ଅଧିକାଂଶ ସ୍ଥାନରେ ଏହା ଦେଖାଯାଉଛି।

ଆଜିର ବିଶ୍ୱୀକୃତ ଦୁନିଆରେ ଅନ୍ୟ ଭାଷା ଶିଖିବା ଦରକାର—ନହେଲେ ଏହି ପ୍ରତିସ୍ପର୍ଧୀ ଦୁନିଆରେ ତିଷ୍ଠି ରହିବା କଷ୍ଟକର। କିନ୍ତୁ ଏହା ସହିତ ଆମେ ନିଜ ଓଡ଼ିଆକୁ ଅପଭ୍ରଂଶ କରୁଛୁ ବୋଲି ମଧ୍ୟ ଦେଖାଯାଉଛି।

ଯେପରିକି—
ପୂଜା → ପୁଜୋ
ସାଙ୍ଗ→ ୟାର
ବହୁତ → ବୋହୋତ
ଏମିତି → ଐଁବି

ମଲ୍‌ରେ ଯଦି ଓଡ଼ିଆରେ କହିବେ, ଅନେକ ସମୟରେ ଲୋକେ ଅଜଣା ଭାବରେ ଦେଖନ୍ତି—ଯେପରି କେଉଁଠୁ ଆସିଛି।

ଏକ ଅନୁଭବ—ଭୁବନେଶ୍ୱର ଏସପ୍ଲାନେଡ୍ ମଲ୍‌ରେ:

ମୁଁ: କଫି ଓ ଚା ଦିଅନ୍ତୁ—କେତେ ଟଙ୍କା?
ଦୋକାନୀ: କୋନସି କଫି ଲେଙ୍ଗେ ଆପ?
ମୁଁ: ସାଧାରଣ କଫି।
ଦୋକାନୀ: ବ୍ଲାକ୍ କଫି, କାପୁଚିନୋ—କୋନସି ଲେଙ୍ଗେ ଆପ?
ମୁଁ: ଆମେରିକାନୋ ଦିଅନ୍ତୁ।
ଦୋକାନୀ: ଆମେରିକାନୋ ନହିଁ ହୈ I
ମୁଁ: ବ୍ଲାକ୍ କଫି ଓ ଆମେରିକାନୋ ସମାନ।
ଦୋକାନୀ (ଏବେ ଓଡ଼ିଆରେ): ଓହୋ, ସେଇଟା କହୁନାହାନ୍ତି!

ଏହା ଆମର ସମସ୍ୟାର ଏକ ଛୋଟ ଉଦାହରଣ। ନିଜ ଲୋକଙ୍କ ସହିତ ଓଡ଼ିଆରେ ଓ ବାହାର ଲୋକଙ୍କ ସହିତ ହିନ୍ଦୀ କିମ୍ବା ଇଂରାଜୀରେ କହିଲେ କିଛି କ୍ଷତି ନାହିଁ।

“ଉଚ୍ଚ ହେବା ପାଇଁ କର ଯେବେ ଆଶା,
ଆଗେ ଉଚ୍ଚ କର ନିଜ ମାତୃଭାଷା।”
— ଉତ୍କଳମଣି ଗୋପବନ୍ଧୁ ଦାସ

କିଛି ଲୋକ (ସମସ୍ତେ ନୁହେଁ) ବାହାରେ ଓଡ଼ିଆ କହିବାକୁ ଲଜ୍ଜା ବୋଧ କରନ୍ତି। ଭଙ୍ଗା ହିନ୍ଦୀ କିମ୍ବା ଇଂରାଜୀରେ କହିବାକୁ ଚେଷ୍ଟା କରନ୍ତି ଓ ଗର୍ବ କରନ୍ତି—“ଆମ ପୁଅ ଓଡ଼ିଆ ଜାଣେ ନାହିଁ।”

“ଭଲ ଗୋଟେ ମାତୃଭାଷା କିସ ହେବ ଭାଇ,
ଚଳିଯାଉଅଛି କାମ ରୁଣ୍ଡାଇ ପୁଣ୍ଡାଇ।
କୁକୁର କିମ୍ପାଇଁ ଗୋଟେ ବନାଇବ ଘର,
ଚରିବୁଲେ ବାରମାସ ଅଇଁଠା ପତର।”
-ଭକ୍ତକବି ମଧୁସୂଦନ ରାଓ

ଏହା ଦେଖି ଖରାପ ଲାଗେ—ଖୁବ ଖରାପ ଲାଗେ।

“ମାତୃଭୂମି ମାତୃଭାଷାରେ
ମମତା ଯାହା ହୃଦେ ଜନମେନାହିଁ,
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା,
ଅଜ୍ଞାନ ରହିବ କାହିଁ?”
— ଗଙ୍ଗାଧର ମେହେର

ଯେମାନେ ଭାବୁଛନ୍ତି ଓଡ଼ିଆ କହିଲେ ପ୍ରେଷ୍ଟିଜ୍ କମିଯିବ—ଭାଇ, ଯାହା ମୂଳରୁ ନାହିଁ, ସେହିଟା ଯିବ କେଉଁଠୁ?
ଚାଲୁନାହାନ୍ତି ଓଡ଼ିଆ କହିବା – ଭଲ ଲାଗିବ – ବିଶ୍ୱାସ କରନ୍ତୁ !

ଦିହ କୁ ନେବେନି, ଏଇ ଗୋଟେ ଲେଖିଦେଲି – ଗୋଟେ ଖୁସି ଆଉ ।
ଆମେ ଭାରତୀୟ ଆଉ ଓଡ଼ିଆ ଭି – ଖାଲି ଟିକେ କୁହନ୍ତୁନା – ଦେଖିବେ ଛାତି ଏତେ ଚୌଡା ହେଇଯିବ ଯେ ଜାମା ଫାଟିଯିବ ।

ଚାଲନ୍ତୁ ଓଡ଼ିଆ କୁ ଓଡ଼ିଆ ଭଳିଆ , ହିନ୍ଦୀ କୁ ହିନ୍ଦୀ ଭଳିଆ ଆଣ୍ଡ ଇଂଲିଶ କୁ ଇଂଲିଶ ଭଳିଆ କହିବା – କରିବା ନା ?

(ଲେଖିଲା ବେଳେ ଟିକେ ଭୁଲ ଭଟକା ହେଇଥିଲେ କ୍ଷମା କରିବେ।)

Scroll to Top