ଭ୍ରମଣ କାହାଣୀ – ଭିଏତନାମ୍ (2023) – ଦିନ–5

ଆଜି ସକାଳୁ ସିଘ୍ର ଉଠିବାର କିଛି ପ୍ରୟୋଜନ ନଥିଲା। ପାଖାପାଖି ସକାଳ ୯ଟାରେ ଉଠି ଜଳଖିଆ କଲୁ। ଦିନ ୧୧ଟା ସୁଦ୍ଧା ହାନୋଇ ସହରକୁ ଆଉଥରେ ବୁଲିବା ପାଇଁ ବାହାରିଲୁ। ପାଖରେ ଥିବା “ହୋଆନ୍ କିଏମ୍” ଲେକ୍‌ ନିକଟରେ ଯାଇ ପହଞ୍ଚିଲୁ, ଲେକ୍‌ ଚାରିପାଟେ ଗୋଟେ ଭେଡ଼ା ବୁଲି ଆସିଲୁ। ଏଇ ଲେକ୍‌ଟି ଭିଏତନାମ୍ ଇତିହାସର ଏକ ସାକ୍ଷୀ କହିଲେ ଅତ୍ୟୁକ୍ତି ନୁହେଁ, ହାହା!

ବୁଲି ସାରି ଏକ “ହପ୍–ଅନ୍” ବସ୍‌ରେ ଟିକେଟ୍ କାଟି ବୁଲିଲୁ। ବସ୍‌ଟି ହାନୋଇ ଭ୍ରମଣ ଓ କିଛି ଐତିହାସିକ ସ୍ଥଳ ବୁଲିବା ପାଇଁ ସୁଯୋଗ ଦେଲା। ତା’ ମଧ୍ୟରୁ ହାନୋଇ କ୍ୟାଥେଡ୍ରାଲ୍‌, ହୋ ଚି ମିନ୍ହ୍ ମ୍ୟୁଜିୟମ୍‌, ସେଣ୍ଟ୍ରାଲ୍ ପୋଷ୍ଟ ଅଫିସ୍‌, ଟେମ୍ପଲ୍ ଅଫ୍ ଲିଟରେଚର୍ ଇତ୍ୟାଦି ଅନ୍ୟତମ ଥିଲା। ହାନୋଇରେ ଥିବା ବହୁତ ପୁରୁଣା କୋଠାଗୁଡ଼ିକୁ ଦେଖିବା ପାଇଁ ମଧ୍ୟ ସୁଯୋଗ ମିଳିଲା। ପୁଅ ଏହା ଭିତରେ ସୁଲୁସୁଲିଆ ପବନରେ ନିଦ୍ରାଦେବୀଙ୍କ କୋଳକୁ ଆଦରି ନେଇଥିଲା।

ବସ୍‌ରୁ ଓଲ୍ହେଇ ପୁଣି ସେଇ ଲେକ୍‌ ନିକଟରେ ପହଞ୍ଚିଲୁ। ପାଖରେ ଥିବା ଖେଳନା ଦୋକାନକୁ ଦେଖି ପୁଅ ଗୋଟେ ଖେଳନା କିଣିବା ପାଇଁ ଜିଦ୍ ଧରିଲା। ଖେଳନା ନ କିଣିବାର ଆଉ କିଛି ଉପାୟ ମଧ୍ୟ ନଥିଲା।

ସେଠାରୁ ଆସି ପାଖରେ ଥିବା ବଜାର ବୁଲିବା ପାଇଁ ଚେଷ୍ଟା କଲୁ। କିଛି ଚକୋଲେଟ୍ ଓ କିଛି ଭିଏତନାମିଜ୍ ସ୍ନାକ୍ କିଣି ହୋଟେଲ୍ ଆଡ଼େ ଫେରିବାକୁ ଲାଗିଲୁ। ହୋଟେଲ୍ ପାଖରେ ଯେଉଁ ରେଷ୍ଟୁରାଣ୍ଟରେ ପ୍ରଥମ ଦିନ ଖାଇଥିଲୁ, ପୁଣିଥରେ ସେଠି ଯାଇ ଲଞ୍ଚ୍ କଲୁ। ସେଇ ପାଖରେ ଭଲକି ଭଲକି ଲୋଭନୀୟ ପଦାର୍ଥରେ ଦୋକାନଗୁଡ଼ିକ ଭରପୁର ଥିଲା।

ହୋଟେଲ୍‌ରେ ପହଞ୍ଚି ଏୟାରପୋର୍ଟ ଅଭିମୁଖେ ଯାତ୍ରା କଲୁ ପୂର୍ବରୁ ଠିକ୍ ହୋଇଥିବା ଟ୍ୟାକ୍ସିଟିରେ। ମନଟା କାହିଁକି କେଜାଣି ବହୁତ ଦୁଃଖରେ ଭରି ହେଇଯାଉଥିଲା ଭିଏତନାମ୍ ଛାଡ଼ିବା ଦିନ। ଭିଏତନାମ୍‌ର ଇତିହାସ ମୋ ମନରେ ଏକ ଗଭୀର ରେଖାପାତ ସୃଷ୍ଟି କରିଥିଲା। ୧୯୭୫ରେ ଆଧୁନିକ ଭିଏତନାମ୍‌ରେ ଭିତ୍ତି ପଡ଼ିବା ଆରମ୍ଭ ହୋଇସାରିଥିଲା। ସେଠାକାର ଲୋକେ ଭିଏତନାମ୍‌କୁ ନେଇ ଗର୍ବ କରିବାର ଦୃଶ୍ୟ ଦେଖି ମୋତେ ମଧ୍ୟ ଭାରି ଭଲ ଲାଗୁଥିଲା।

ଦିନ ଥିଲା—ଉତ୍ତର ଓ ଦକ୍ଷିଣ ଭିଏତନାମ୍ ପରସ୍ପର ଲଢ଼ିବାରେ ଲାଗିଥିଲେ, ବିଦେଶୀ ଶକ୍ତିମାନଙ୍କ ପ୍ରରୋଚନାରେ। ସେ ରାଜରାସ୍ତା ରକ୍ତରଞ୍ଜିତ ହୋଇଥିଲା ଶୀତଳ ଯୁଦ୍ଧର ବିଭତ୍ସମୟ ପରିଣତିର ଫଳସ୍ୱରୂପ। ରଣଖେଳର ଏକ ଅଭ୍ୟାସ ପଡ଼ିଆରେ ଛାରଖାର ହେଇଯାଇଥିଲା ଭିଏତନାମ୍, ଭିଏତନାମ୍‌ର ମାଟି। କେତେ ଯେ ପ୍ରାଣର ମୂଲ୍ୟ ଦେବାକୁ ପଡ଼ିଥିଲା, ତାହା ଅନିର୍ବଚନୀୟ। ତଥାପି ଭିଏତନାମ୍ କେବେ ବି ହାରିବାର ମାନସିକତାକୁ ଆପଣା କରିନାହିଁ। ଆଗକୁ ବଢ଼ିବାର ଏକ ଚମତ୍କାର ଉତ୍ସାହର ଉଚ୍ଛ୍ୱାସ ସବୁଆଡ଼େ ଦେଖିବାକୁ ମିଳିଲା ମୋତେ।

ଇତିହାସର ଏକ ସ୍ୱତନ୍ତ୍ର ସ୍ଥାନ ଥାଏ ଲୋକଙ୍କ ମାନସପଟରେ; ଭିଏତନାମ୍‌ରେ ମୁଁ ଟିକେ ଟିକେ ଅନୁଭବ କରୁଥିଲି। ସେ ଲେକ୍‌, ପୁରୁଣା କୋଠାମାନେ ଇତିହାସର ଏକ ସାକ୍ଷୀ ଭାବେ ମୁରୁକି ମୁରୁକି ହସୁଥିବାର ମୋତେ ଲାଗୁଥିଲା।

ମନରେ ଆସୁଥିଲା—ଭିଏତନାମ୍‌ରେ ମାଟିକୁ ଟିକେ ମଥାରେ ମାରି ତାକୁ କୁଣ୍ଡେଇ ଧରନ୍ତିକି। ଭିଏତନାମ୍ ଏବେକାର ଏକ ଅଗ୍ରଣୀ ଇକନୋମିକ୍ ପାୱର୍ ଭାବେ ମଧ୍ୟ ବେଶ୍ ଜଣାଶୁଣା।

ଯାହା ହେଉ, ମୋର ଏଇ ଗସ୍ତ ମୋତେ ନୂଆ ଗୋଟେ experience ଓ viewpoint ଦେବାରେ ସହାୟକ କରିଛି—ଏଥିରେ ଟିକେ ମାତ୍ର ସନ୍ଦେହ ନାହିଁ।

ହଉ, ଏବେ ତ ସରିଲା ମୋ ଭିଏତନାମ୍‌ରେ ଭ୍ରମଣ କାହାଣୀ। ଆପଣମାନଙ୍କୁ କେମିତି ଲାଗିଲା ମୋର ଏଇ ପ୍ରୟାସ? ନିଶ୍ଚୟ କହିବେ। ଆପଣଙ୍କର ସହାନୁଭୂତି ଓ encouragement ରହିଲେ ମୁଁ ଏମିତି ଲେଖିବାର ପ୍ରୟାସ କରିବି।

ସମାପ୍ତି।

(ଦୟାକରି ମୋର website ଟିକେ visit କଲେ ଭାରି encouraged ହେବି… ରହିଲି… … ଏଠାରେ ଆଉ କିଛି photo ମଧ୍ୟ ପୋଷ୍ଟ କରିଛି)

Scroll to Top