ଭ୍ରମଣ କାହାଣୀ – ଭିଏତନାମ (2023) – ଦିନ–3

ଆଜି ପୁଣି ଥରେ ବଡ଼ି ଭୋର୍ରୁ ମୋର ନିଦା ଭଙ୍ଗି ଯାଇଥାଏ, ସହଧର୍ମିଣୀ ଆଉ ପୁଆ ଗଭୀର ନିଦ୍ରାର ମଜା ଉଠାଉଥିଲେ। ମୁଁ ଅଗତ୍ୟ ଜାହାଜରେ ଡେକ୍‌ ଆଡ଼କୁ ଅଗ୍ରସର ହେଲି, ସକାଳର ସୂର୍ଯ୍ୟୋଦୟକୁ ଟିକେ ମନ ପୁରେଇ ଉପଭୋଗ କରିବା ପାଇଁ। ମୁଁ ସେଠାରେ ପହଞ୍ଚିଲା ବେଳକୁ ବେଶ କିଛି ଜଣ ଅତିଥି ସେଠାରେ ଆଗରୁ ଉପସ୍ଥିତ ଥିଲେ। ଡେକ୍‌ରେ ପଡ଼ିଥିବା କିଛି ଚେୟାର୍‌ ମଧ୍ୟରୁ ଗୋଟିଏରେ ପୂର୍ବ ମୁହାଁ ହୋଇ ବସିପଡ଼ିଲି।

କିଛି ସମୟ ମଧ୍ୟରେ ସୂର୍ଯ୍ୟ ଉଁକି ମାରିଲେ ଦୁଇଟି ପାହାଡ଼ ମଧ୍ୟରେ ଥିବା ସାରୁ ଉପତ୍ୟକା ମାଧ୍ୟରୁ, ମୋତେ ଯେମିତି ଲାଗିଲା ଆଜି ଯଦି କିଏ ପୃଥିବୀର ସବୁଠୁ ଭାଗ୍ୟଶାଳୀ ମଣିଷ କିଏ ହେଇଥାଏ,ତେବେ ସେ ହେଉଛି ମୁଁ। ସେ ଅପୂର୍ବ ଦୃଶ୍ୟରେ ଆତ୍ମହରା ହେଇପଡ଼ିଲି, ଭାବୁଥିଲି ଯେମିତି ସୂର୍ଯ୍ୟଦେବତା ଆଜି ବେଶ କିଛି ଅଳଙ୍କାରରେ ସଜେଇ ହୋଇ ଖାସ୍‌ ମୋ ପାଇଁ ଆସିଛନ୍ତି, ଆଉ ପୃଥିବୀ ପୃଷ୍ଠକୁ ନିଜ ଜ୍ୟୋତ୍ସ୍ନାରେ ସଜେଇ ଦେଉଛନ୍ତି ଆଉ ସମସ୍ତଙ୍କୁ ଉଲ୍ଲସିତ କରୁଛନ୍ତି। କିଛି ସମୟ ପାଇଁ ଆଖାପାଖାର ହୁଲଚୁଲ୍‌କୁ ଭୁଲିଯାଇଥିଲି। ଖାଲି ଅନୁଭବ କରିପାରୁଥିଲି ସୁନେଲି ରଙ୍ଗର ଦୂରନ୍ତ ଆକାଶକୁ ଆଉ କିଛି କିଛିରି ମିଛିରି ଶବ୍ଦ ରଙ୍ଗବିରଙ୍ଗ ବିହଙ୍ଗ ଦଳଙ୍କର। ସକାଳରେ ଏହି ନିଆରା ସ୍ମୃତିକୁ ନେଇ କୋଠାରୀ ଅଭିମୁଖେ ଆସିଲି।

ସେତେବେଳକୁ ଦିନଟି ଆଉ ଟିକେ ଫର୍ଚ୍ଛା ହୋଇଆସୁଥାଏ, ଯଥାଶୀଘ୍ର ନିଜ ନିତ୍ୟକର୍ମ ସାରି କୋଠାରୀ ମଧ୍ୟରୁ ସେ ମନୋରମା ଦୃଶ୍ୟକୁ ଆଉ ଟିକେ ମନ ପୁରେଇ ଦେଖିଲି। ପ୍ରତଃଭୋଜନ ପାଇଁ ପୁଣିଥରେ ଖାଇବା ଘର ଆଡ଼କୁ ଗଲୁ। ନାନାଦି ସୁସ୍ୱାଦୁ ଭୋଜନରେ ପୁଣିଥରେ ନିଜକୁ ଅପ୍ୟାୟିତ କଲୁ। ମୁଁ ଆଉ ସହଧର୍ମିଣୀ ମାସାଜର ମଧ୍ୟ ଟିକେ ଆନନ୍ଦ ଉଠେଇଲୁ।

ଏ ଭିତରେ ଦିନ ପ୍ରାୟ 11ଟା ହେଇଗଲାଣି। ଆମା ମାନଙ୍କର ଜାହାଜ ଛାଡ଼ିବାର ସମୟ ଆସିଉପନିତ, ଜାହାଜର ସମସ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ଆଉ କିଛି ଟିପ୍ସ ଦେଇ କୂଳ ଆଡ଼କୁ ସ୍ପିଡ଼ ବୋଟରେ ଅଗ୍ରସର ହେଲୁ।

ଆମର ଆଗାମୀ ଗନ୍ତବ୍ୟ ସ୍ଥଳ ସ୍ଥିର ହୋଇସାରିଥିଲା ଆଗରୁ, ତାହା ହେଉଛି “ନିନ୍‌ ବିନ୍‌”। ଆପଣମାନଙ୍କୁ ଜଣେଇ ଦିଏ ଯେ ସେଠି ଜଗାଟି ଗୋଟିଏ UNESCO heritage site ଭାବରେ ପରିଗଣିତ ହୋଇଥାଏ। ଏଠାରୁ ନିନ୍‌ବିନ୍‌ ପ୍ରାୟ 3 ଘଣ୍ଟାର ବାଟା, ଆଗରୁ ଧାର୍ଯ୍ୟ ହୋଇଥିବା ମିନିବସ୍‌ରେ ଯାଇ ବସିପଡ଼ିଲୁ।

ଆମ ସହିତ ବିଶ୍ୱର ବିଭିନ୍ନ ଦେଶର ସହଯାତ୍ରୀମାନେ ମଧ୍ୟ ଥିଲେ। ରାସ୍ତା ଆଉ ରାସ୍ତା ଚାରିପଟେ ଗଛ, ପାହାଡ଼, ଆଉ ନଦୀମାନଙ୍କର ସୁସଜ୍ଜିତ ହୋଇଥାଏ, ଯେମିତି ପ୍ରକୃତି ଭିଏତନାମ ଉପରେ ଟିକେ ଅଧିକ ଖୁସି।

ବାଟେ ମିନିବସ୍‌ ଟି କିଛି ସମୟ ପାଇଁ ଅଟକିଲା toilet break ପାଇଁ। ମୁଁ ଗୋଟେ କଫି ପିଲି ଆଉ ପୁଆ ପାଇଁ ଗୋଟେ ଖେଳନା ମଧ୍ୟ କିଣି ଆଣିଲି। ଏଠାରେ କହି ରଖିବା ଉଚିତ ଯେ ଭିଏତନାମ ନିଜର ଜିନିଷ ଯଥାସମ୍ଭବ ସ୍ୱଦେଶୀ କରିବା ପାଇଁ ଚେଷ୍ଟା କରେ, ଏହା ଭିଏତନାମ ଇତିହାସର ଆଉ ଗୋଟିଏ ଶିକ୍ଷା। ପୁଆ ଖେଳନାକୁ ଦେଖି ଭାରି ଖୁସି ହେଲା ପରି ଜଣାପଡ଼ିଲା, ଆଉ କିଛି ସମୟ ମଧ୍ୟରେ ଆମେ ନିନ୍‌ବିନ୍‌ ରେ ପହଞ୍ଚିଗଲୁ।

ନିନ୍‌ବିନ୍‌ ରେ ପହଞ୍ଚିଲା ବେଳକୁ ଦିନ ପ୍ରାୟ 4ଟା। ଏଠାରେ ମଧ୍ୟ ପ୍ରକୃତିକ ସୂନ୍ଦରତାର କିଛି ଅଭାବ ନଥିଲା, ସତରେ ଲାଗୁଥିଲା ଯେମିତି ପରୀର ରାଜ୍ୟର କୌଣସି ଅଜଣା ମୁଳକରେ ଆମେ ପହଞ୍ଚି ଯାଇଛୁ। ଧାନ ଖେତ, ପାହାଡ଼ ଆଉ ଗୋଟେ ଛୋଟ ଝରଣା ମଧ୍ୟରେ ଆମର ରହଣୀ ବ୍ୟବସ୍ଥା ହୋଇଥିଲା। ବତକ, କୁକୁଡ଼ା, ଛେଲି ଆଉ ଅନ୍ୟ ପୋଷା ଜନ୍ତୁମାନେ ନିଛନ୍ଦରେ ଘୁରିବାକୁ ଦେଖିଲୁ, bicycle ର ବ୍ୟବହାର ସେଠାରେ ବହୁତ।

ଆମ homestay ର ପରିଚାଳକ ଆମକୁ ସେଠାର ବହୁତ କିଛି ତଥ୍ୟ ପରିଦାନ କରିବାକୁ ଲାଗିପଡ଼ିଥିଲେ, ଆମେ ସବୁ ସୁଣି କିଛି ସମୟ ବିଶ୍ରାମ ନେବାକୁ ଥିର କଲୁ।

ଠିକ୍ ସନ୍ଧ୍ୟା ହୋଇଆସୁଥିବା ବେଳେ ଟିକେ ଆଖାପାଖା ଘୁରିବାକୁ ବାହାରିଲୁ ଦୁଇଟି bicycle ଧରି। ଗୋଟିଏ ସାଇକେଲରେ ପଛରେ ପିଲାମାନଙ୍କ ପାଇଁ ବିଶେଷ ଆସନ ବ୍ୟବସ୍ଥା ଥିଲା — ସେଠିରେ ପୁଆ ଆଉ ମୁଁ, ଆଉ ଅନ୍ୟଟିରେ ସହଧର୍ମିଣୀ ସବାର ହେଲୁ।

ଆରେ ଏ କଣ? ପାଖରେ ତ ବଢ଼ିଆ ବଜାର ଟିଏ ମଧ୍ୟ ଅଛି — ଭରିଛି restaurant, bar, ଆଉ ଛୋଟ ଛୋଟ ଦୋକାନରେ। କେତେ ସାରା ପର୍ଯ୍ୟଟକଙ୍କୁ ମଧ୍ୟ ଦେଖିଲୁ। ଆମେ ମଧ୍ୟ ଗୋଟେ restaurant ରେ ବସି କିଛି french fries ଆଉ ନଡ଼ିଆ ପାଣି order କରି ପକେଇଲୁ। ସେଇ restaurant ରେ ପୁଆ ପାଇଁ play area ମଧ୍ୟ ଥିଲା — ପୁଆ ଭାରି ଖୁସିରେ ସେଠି ଖେଳିବାକୁ ଲାଗିଲା। ରାତି 8ଟା ସୁଧା ଆମେ ନିଜ homestay କୁ ଫେରି ଆସିଲୁ।

Homestay ରେ ମଧ୍ୟ ରାତ୍ରି ଭୋଜନ ପାଇଁ ବ୍ୟାପକ ବ୍ୟବସ୍ଥା ଥିଲା — sea food ଆଉ vegetables ର buffet option ଭରପୁର ଥିଲା। ଆମର କ୍ଳାନ୍ତିକୁ ଦୂର କରିବା ପାଇଁ ସେଠାର ମ୍ୟାନେଜର foot massage ର ବ୍ୟବସ୍ଥା ମଧ୍ୟ କରିଥିଲେ — ଗୋଟିଏ କଠା ବାଟୀରେ ଥିବା ଗରମ ପାଣି ଆଉ ମନ୍ଦାରା ଫୁଲରେ ପାଦ ଡୁବେଇ ରଖିବା ପାଇଁ ହେଲା — ଏହା ଏକ ନିଆରା ଅନୁଭବ ଥିଲା। ସେଠାରେ ଲୋକମାନେ ବିଶ୍ୱାସ କରନ୍ତି ଯେ ଏମିତି କଲେ ଦିନର କ୍ଳାନ୍ତି ଦୂର ହୁଏ ଆଉ ଭଲ ନିଦ୍ରା ଆସେ। ଆଉ ସେଦିନ ଏମିତି ସବୁ ଘୁରାଘୁରି କରି କେବେ ନିଦ୍ରାଦେବୀଙ୍କ କୋଳରେ ଧଳି ପଡ଼ିଥିଲୁ ଜଣାପଡ଼ିଲା ନାହିଁ।

(ଦୟାକରି ମୋର website ଟିକେ visit କଲେ ଭାରି encouraged ହେବି… ରହିଲି… ପୁଣି ଏଇ week ରେ ସୁଣେଇବି ଚତୁର୍ଥ ଦିନ ବିଷୟରେ… ଏଠାରେ Ninh Binh ର photo ଟିଏ ମଧ୍ୟ ପୋଷ୍ଟ କରିଛି)

କ୍ରମଶଃ…

Scroll to Top