ଭ୍ରମଣ କାହାଣୀ – ଭିଏତନାମ୍ (2023) – ଦିନ–4

ଆଜି ଟିକେ ଡେରିରେ ସମସ୍ତେ ଉଠିଲୁ କୁକୁଡ଼ା ଓ ବତକ ମାନଙ୍କର କୁହୁତା ଓ ରବରେ। କାଲି ରାତିର ନିଦ ପୂରା ଦିନର ଥକ୍କାକୁ ମେଣ୍ଟାଇଦେଇଥିଲା। ସକାଳୁ ଉଠି ବାହାରର ଦୃଶ୍ୟକୁ ଦେଖି ଅଭିଭୂତ ହେଇଥିଲୁ—ଧାନ ଖେତ, ଆଉ ପ୍ରକୃତିର ଦୃଶ୍ୟକୁ ଆହୁରି ସୁନ୍ଦର କରି ଗଢ଼ି ତୋଳୁଥିଲା ସୂର୍ଯ୍ୟଦେବତାଙ୍କର ଆଦ୍ୟ କିରଣ, ଆଉ କୁଲୁକୁଲୁ ନଦୀର ଶବ୍ଦ ଓ ପାହାଡ଼ମାଳାଗୁଡ଼ିକ। ଛାଡ଼େଇ ମାନଙ୍କର କିଚିରି ମିଚିରି ଶବ୍ଦ ଆମକୁ ଆମୋଦିତ କରୁଥିଲା ସକାଳୁଆ ସମୟ ଓ ଆଖପାଖ ଲୋକମାନଙ୍କୁ।

ଯାହା ଭି ହେଉ, ଆମେ ସିଘ୍ର ରେଡି ହେଇ ବାହାରି ପଡ଼ିଲୁ ଜଳଖିଆ ଖାଇବା ପାଇଁ। ଏଠାରେ ମଧ୍ୟ ନାନାଦି ପ୍ରକାରର ଖାଇବା—କଫି, ବ୍ରେଡ୍, ଫଳ ଇତ୍ୟାଦି ସୁସଜ୍ଜିତ ହେଇ ରହିଥିଲା। ଆଜି ସୋମବାର ଥିବାରୁ ଶାକାହାରୀ ଖାଦ୍ୟରେ ମନ ନିବେଶ କଲୁ। ପେଟ ପୁରା ଖାଇ ଟିକେ ବସିଲା ବେଳକୁ ଟୁରିଷ୍ଟ ବସ୍‌ଟି ଆସି ପହଞ୍ଚି ଯାଇଥାଏ। ଆମେ ଅଗତ୍ୟା ସେଠାକାର ମ୍ୟାନେଜରଙ୍କୁ ଧନ୍ୟବାଦ ଜଣେଇ ବସ୍‌ରେ ବସି ପଡ଼ିଲୁ।

ଆଜିର କାର୍ଯ୍ୟକ୍ରମ ଥିଲା “ଟ୍ରାଙ୍ଗ୍ ଆନ୍” ନଦୀରେ ନୌକା ବିହାର, ଯାହା ପାଇଁ ପ୍ରାୟ 12ଟା ସୁଦ୍ଧା ନଦୀ କୂଳରେ ଉପସ୍ଥିତ ହେଲୁ। ଆମ ସଙ୍ଗରେ ପ୍ରାୟ 15 ଜଣ ବସ୍‌ରେ ସବାର ହେଇଯାଇଥିଲେ। ଏକ ଅଣ୍ଡରଗ୍ରାଉଣ୍ଡ ଟନେଲ୍ ଦେଇ ଯାଇ ପହଞ୍ଚିଲୁ ନୌକା ବିହାରର ଆରମ୍ଭ ସ୍ଥଳରେ, ସେଠାରେ ଏକ ନୌକାରେ ଯାଇ ବସି ପଡ଼ିଲୁ ଟୁରିଷ୍ଟ ଗାଇଡ୍‌ଙ୍କ ଇଙ୍ଗିତରେ। ସେ ନୌକାଟି ନୀଳ ରଙ୍ଗର ଥିଲା ଓ ଚଟାଣ ତିନାରେ ତିଆରି ହେଇଥିଲା।

ଆରେ, ଏ କଣ? ନୌକାର ଚାଳକା ଜଣେ ବୟସ୍କା ମହିଳା। ମହିଳାଙ୍କ ବୟସ ପଚାରିବାରୁ ସେ 55 ବର୍ଷ ବୋଲି କହିଲେ—ଯଦିଓ କୌଣସି ମହିଳାଙ୍କୁ ବୟସ ପଚାରିବା ଏତେ ଭଦ୍ରତାର ପରିଚୟ ନୁହେଁ! ମହିଳାଜଣଙ୍କ ଅତ୍ୟନ୍ତ ମେଳାପି ଥିଲେ। ନଦୀର ଅନୁକୂଳ ଦିଗରେ ନୌକାଟି ଧୀରେ ଧୀରେ ଗତି କରିବା ଆରମ୍ଭ କରିଦେଇଥିଲା, ଆଉ ଆଖପାଖର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର ଥିଲା। ପାହାଡ଼ମାନଙ୍କ ମଝିରେ ନୌକାଟି ଧୀରେ ଧୀରେ କୁଲୁକୁଲୁ ବାଟ କାଟି ଆଗକୁ ଚାଲୁଥିଲା, ଏପଟେ ଚାରିପଟେ ସବୁଜିମା ମନକୁ ଆତ୍ମହରା କରି ପକାଉଥିଲା।

ମଝିରେ ନୌକାରୁ ଓଲ୍ହେଇ ଏକ ବହୁତ ପ୍ରାଚୀନ ପାଗୋଡା ଦେଖିବାର ସୁଯୋଗ ମଧ୍ୟ ମିଳିଲା। ଏଠାରେ କହି ରଖେ—ପାଗୋଡା ବୁଦ୍ଧ ଧର୍ମରେ ଏକ ଉପାସନା ସ୍ଥଳୀ। ଏହି ପୁରୁଣା ପାଗୋଡାର କାନ୍ଥରେ ହାତ ମାରି ଧନ୍ୟବାଦ ଦେଉଥିଲି ସେ ଯୁଗର ଉଶାଳୀ ଶିଳ୍ପୀମାନଙ୍କୁ, ଆଉ ଅନୁଭବ କରୁଥିଲି ସେମାନଙ୍କର ପାରିପାର୍ଶ୍ୱିକତାକୁ।

ଏଠାରୁ ଆଉ ଟିକେ ଆଗକୁ ଯାଇ ପୁଣି ଫେରିବାକୁ ଲାଗିଲୁ ଆମେ ଯାଉଁଠୁ ଯାତ୍ରା ଆରମ୍ଭ ହେଇଥିଲା। ଏଥର ନଦୀର ପ୍ରତିକୂଳ ଦିଗରେ ଯିବାକୁ ପଡ଼ିଥିଲା, ତେଣୁ ମୁଁ ଚାଳକାଙ୍କୁ ଟିକେ ସହାଯ୍ୟ କରିବା ପାଇଁ ଗୋଟେ ପାଟ ଆହୁଲା ମାରିବା ଆରମ୍ଭ କରିଥିଲି। ମହିଳାଜଣଙ୍କ ଟିକେ ଅସ୍ୱସ୍ତି ଅନୁଭବ କଲେ। ତାଙ୍କ ଘର ସେଇ ପାଖରେ ବୋଲି କହିଲେ। ଓଲ୍ହେଇ ଆସିଲା ପରେ ମହିଳାଜଣଙ୍କୁ କିଛି ଟିପ୍ସ ଦେଇ ଧନ୍ୟବାଦ ଜଣେଇଲୁ। ମହିଳାଙ୍କ ମୁହଁରେ ଟିକେ ହସ ଦେଖି ନିଜକୁ ଭାରି ଖୁସି ଲାଗିଲା।

ଏଠାରୁ ବିଦାୟ ନେଇ ପୁଣି ବସ୍‌ରେ ବସିଲୁ। ଏତେବେଳକୁ ଭୋକରେ ପେଟ ଅଟୁପଟୁ ହେଲାଣି, ପୁଅ କଣ ଟିକେ ଖାଇ ଦେଇଥିଲା। ଯାହା ହେଉ, ବସ୍‌ଟି କିଛି ସମୟ ପରେ ଏକ ରେଷ୍ଟୁରାଣ୍ଟରେ ଅଟକିଲା; ଏଠାରେ ଆଗରୁ ଖାଇବାର ବ୍ୟବସ୍ଥା ହେଇ ସାରିଥିଲା। ଏଠାରେ ଖାଇ ବସ୍‌ରେ ବସି ଯାଇ ଟିକେ ନିଶ୍ୱାସ ନେଲୁ। ନୌକା ବିହାର, ଖରା ଆଉ ଆହୁଲା ମାରିବାରେ ଆଜି ଟିକେ ଥକ୍କା ବଢ଼ି ଯାଇଥିଲା। ଏବେ ଏଠାକାର ସବୁ କାର୍ଯ୍ୟକ୍ରମ ସାରି ହାନୋଇ ଅଭିମୁଖେ ଅଗ୍ରସର ହେଲୁ।

ହାନୋଇରେ ପହଞ୍ଚିଲା ବେଳକୁ ପ୍ରାୟ ରାତି 7ଟା ହେଇଯାଇଥାଏ। ହୋଟେଲ୍‌ରେ ପହଞ୍ଚି ଟିକେ ବିଶ୍ରାମ ନେବା ପାଇଁ ଚେଷ୍ଟା କଲୁ। ଏଠାରେ କହି ରଖେ—ଏଇ ହୋଟେଲ୍‌ଟି ସେଇ ହୋଟେଲ୍ ଥିଲା ଯେଉଁଠାରେ ଆମେ ପ୍ରଥମ ଦିନ ଭିଏତନାମରେ ରହିଥିଲୁ। ପୁଅର ନିଦ ଭାଙ୍ଗିଲା ପରେ ଆମେ ପୋଷାକ ବଦଳେଇ ବାହାରି ପଡ଼ିଲୁ ହାନୋଇକୁ ଟିକେ ଆଉଥରେ ଦେଖିବା ପାଇଁ। ସେଠାରେ 3ଟି ଭିଏତନାମିଜ୍ ବାଁସ ଟୋପି କିଣିଲୁ—ଏଠି ସେ ଟୋପିକୁ “ନନ୍ ଲା” କୁହାଯାଏ। ତା ସଙ୍ଗକୁ ପୁଅର ଖେଳନା, ଟି-ଶର୍ଟ ଆଉ କିଛି ଜିନିଷ କିଣି ପକେଇଲୁ। ରେଷ୍ଟୁରାଣ୍ଟରେ କିଛି ଖାଇ ପୁଣି ଫେରିଲୁ ହୋଟେଲ୍ ଅଭିମୁଖେ।

କାଲି ସନ୍ଧ୍ୟା ପ୍ରାୟ 6ଟା ବେଳେ ଆମ ଫ୍ଲାଇଟ୍ ସିଙ୍ଗାପୁରକୁ ଥିଲା, ତେଣୁ କାଲି ସକାଳୁ ଟିକେ ଡେରିରେ ଉଠିବୁ ବୋଲି ଭାବି ସୋଇ ପଡ଼ିଲୁ।

କ୍ରମଶଃ…

(ଦୟାକରି ମୋର website ଟିକେ visit କଲେ ଭାରି encouraged ହେବି… ରହିଲି… ପୁଣି ଏଇ week ରେ ସୁଣେଇବି panchama ଦିନ ବିଷୟରେ… ଏଠାରେ ଆଉ କିଛି photo ମଧ୍ୟ ପୋଷ୍ଟ କରିଛି)

Scroll to Top